ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 15

1ଏହା ପରେ ମୁଁ ସ୍ୱର୍ଗରେ ଗୋଟିଏ ବଡ଼ ଓ ଆଶ୍ଚର୍ଯ୍ୟ ଜନକ ଲକ୍ଷଣ ଦେଖିଲି। ସେଠାରେ ସାତ ଜଣ ଦୂତ ସେମାନଙ୍କ ହାତରେ ସାତୋଟି ଶେଷ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ୱରଙ୍କ କ୍ରୋଧର ସମାପ୍ତି ଘଟିବ। 2ମୁଁ ମୋ’ ସାମନାରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସେହି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ୟା ଉପରେ ଜୟଲାଭ କରିଥିଲେ, ସେମାନଙ୍କୁ ସେହି ସମୁଦ୍ର କୂଳରେ ଠିଆ ହେବାର ଦେଖିଲି। ସେମାନଙ୍କ ହାତରେ ପରମେଶ୍ୱର ଦେଇଥିବା ବୀଣା ଥିଲା। 3ସେମାନେ ପରମେଶ୍ୱରଙ୍କର ସେବକ ମୋଶାଙ୍କର ଓ ମେଷଶାବକଙ୍କର ଗୀତ ବୋଲୁଥିଲେ: “ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର! ତୁମ୍ଭର କାର୍ଯ୍ୟଗୁଡ଼ିକ ମହାନ ଓ ଆଶ୍ଚର୍ଯ୍ୟପୂର୍ଣ୍ଣ ହେ ଜାତି ସମୂହର ରାଜା, ତୁମ୍ଭର ପଥଗୁଡ଼ିକ ନ୍ୟାୟସଙ୍ଗତ ଓ ସତ୍ୟ। 4ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ। କାରଣ କେବଳ ତୁମ୍ଭେ ହିଁ ପବିତ୍ର; ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ। କାରଣ ତୁମ୍ଭେ ହିଁ ନ୍ୟାୟବନ୍ତ ଏହା ଜଗତେ ବିଦିତ।” 5ଏହା ପରେ ମୁଁ ସ୍ୱର୍ଗରେ ପରମେଶ୍ୱରଙ୍କ ଉପସ୍ଥିତିର ପବିତ୍ର ସ୍ଥାନର ମନ୍ଦିର ଖୋଲା ହେବାବାର ଦେଖିଲି। 6ସେହି ମନ୍ଦିର ଭିତରୁ ସାତ ଜଣ ଦୂତ ସାତୋଟି ମହାମାରୀଗୁଡ଼ିକୁ ଧରି ବାହାରି ଆସିଲେ। ସେମାନେ ଶୁଦ୍ଧ, ଉଜ୍ଜ୍ୱଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ବକ୍ଷରେ ସୁବର୍ଣ୍ଣ ବନ୍ଧନୀ ଥିଲା। 7ତା’ପରେ ଗ୍ଭରି ଜୀବିତ ପ୍ରାଣୀମାନଙ୍କ ମଧ୍ୟରୁ ଜଣେ ପ୍ରାଣୀ ସାତ ଦୂତଙ୍କୁ ସାତୋଟି ସୁବର୍ଣ୍ଣ ପାତ୍ର ଦେଲେ। ସେହି ପାତ୍ର ନିତ୍ୟଜୀବୀ ପରମେଶ୍ୱରଙ୍କର କ୍ରୋଧରେ ପରିପୂର୍ଣ୍ଣ ଥିଲା। 8ସେହି ମନ୍ଦିର ପରମେଶ୍ୱରଙ୍କ ଗୌରବ ଓ କ୍ଷମତାର ଧୂଆଁରେ ଭର୍ତ୍ତି ହୋଇଗଲା। ସାତ ଜଣ ଦୂତଙ୍କର ସାତୋଟି ମହାମାରୀ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଲୋକ ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ।


Copyright
Learn More

will be added

X\