WTC
Audio:
Drama
  • Drama
  • Non-Drama
Text Size

ଗାଲାତୀୟଙ୍କ ପ୍ରତି ପତ୍ର 3 - Oriya - 1997 Edition - Bible.is - ORYWTC

  1  ହେ ଗାଲାତୀୟ ଲୋକେ! ଯୀଶୁ ଖ୍ରୀଷ୍ଟଙ୍କୁ କିପରି ଭାବରେ କ୍ରୁଶ ଉପରେ ମୃତ୍ୟୁ ଦିଆଗଲା, ତାହା ତୁମ୍ଭକୁ ସ୍ପଷ୍ଟ ଭାବରେ କୁହା ଯାଇଥିଲା। କିନ୍ତୁ ତୁମ୍ଭେମାନେ ମୂର୍ଖ। ତୁମ୍ଭେ କାହାର ଛଳନାରେ ପଡ଼ିଗଲ।   2  ତୁମ୍ଭେମାନେ ମୋତେ ଗୋଟିଏ କଥା କୁହ: ତୁମ୍ଭେମାନେ ପବିତ୍ରଆତ୍ମାଙ୍କୁ କିପରି ଭାବେ ଗ୍ରହଣ କରିଥିଲ? କ’ଣ ତୁମ୍ଭେମାନେ ବ୍ୟବସ୍ଥା ପାଳନ କରି ଆତ୍ମାଙ୍କୁ ପାଇଥିଲ? ନା! ତୁମ୍ଭେମାନେ ସୁସମାଗ୍ଭର ଶୁଣି ଓ ବିଶ୍ୱାସ କରି ପବିତ୍ରଆତ୍ମାଙ୍କୁ ସ୍ୱୀକାର କରିଥିଲ।   3  ତୁମ୍ଭେମାନେ ଆତ୍ମାଙ୍କ ସହିତ “ତୁମ୍ଭମାନଙ୍କର ନୂଆ ଜୀବନ ଆରମ୍ଭ କଲ।” ଏବେ କ’ଣ ତୁମ୍ଭେମାନେ ଭାବୁଛ ଯେ ତୁମ୍ଭେମାନେ ନିଜର ଶକ୍ତି ବଳରେ ଶେଷ ପର୍ଯ୍ୟନ୍ତ ଚଳି ପାରିବ? ତୁମ୍ଭେମାନେ କ’ଣ ଏତେ ବୋକା?   4  ତୁମ୍ଭେମାନେ ଅନେକ କଥା ଅନୁଭବ କରିଛ। କ’ଣ ସେ ସବୁ ବିଫଳ ହୋଇଗଲା? ନା!   5  ସେ ସବୁ ବିଫଳ ହୋଇ ନାହିଁ। ତୁମ୍ଭେମାନେ ବ୍ୟବସ୍ଥା ପାଳନ କର ବୋଲି କ’ଣ ପରମେଶ୍ୱର ତୁମ୍ଭମାନଙ୍କୁ ପବିତ୍ରଆତ୍ମା ପ୍ରଦାନ କରିଛନ୍ତି? ନା! ତୁମ୍ଭମାନଙ୍କ ମଧ୍ୟରେ ପରମେଶ୍ୱର ଯେଉଁ ଆଶ୍ଚର୍ଯ୍ୟକର୍ମମାନ କରିଛନ୍ତି, ତାହା କ’ଣ ବ୍ୟବସ୍ଥା ପାଳନ ପାଇଁ କରାଯାଇଥିଲା? ନା! ବରଂ ତୁମ୍ଭେମାନେ ସୁସମାଗ୍ଭର ଶୁଣି ସେଗୁଡ଼ିକରେ ବିଶ୍ୱାସ କଲ ବୋଲି, ପରମେଶ୍ୱର ତୁମ୍ଭମାନଙ୍କୁ ତାଙ୍କର ଆତ୍ମା ପ୍ରଦାନ କରି ତୁମ୍ଭମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ କର୍ମମାନ କରିଛନ୍ତି।   6  ଅବ୍ରହାମଙ୍କ ବିଷୟରେ ଶାସ୍ତ୍ର ମଧ୍ୟ ଏହି କଥା କୁହେ: “ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଓ ପରମେଶ୍ୱର ତାହାଙ୍କ ନିଜ ସହିତ ଅବ୍ରହାମଙ୍କୁ ଧାର୍ମିକ କରିବା ପାଇଁ ତାହାଙ୍କର ବିଶ୍ୱାସକୁ ଗ୍ରହଣ କଲେ।”   7  ଅତଏବ ତୁମ୍ଭେମାନେ ଜାଣି ରଖ ଯେ, ବିଶ୍ୱାସ କରୁଥିବା ଲୋକେ ଅବ୍ରହାମଙ୍କର ପ୍ରକୃତ ସନ୍ତାନ।   8  ଶାସ୍ତ୍ରଗୁଡ଼ିକ ଏହା ମଧ୍ୟ କହେ ଯେ, ଭବିଷ୍ୟତରେ କ’ଣ ହେବ? ଲେଖାଅଛି, ପରମେଶ୍ୱର ଅଣଯିହୂଦୀମାନଙ୍କୁ ମଧ୍ୟ ସେମାନଙ୍କର ବିଶ୍ୱାସ ପାଇଁ ଧାର୍ମିକ କରିବେ। ସୁସମାଗ୍ଭର ଅବ୍ରାହମଙ୍କୁ ଆଗରୁ କୁହାଯାଇଥିଲା। ଶାସ୍ତ୍ର କହେ: “ପରମେଶ୍ୱର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବା ପାଇଁ ଅବ୍ରହାମଙ୍କୁ ବ୍ୟବହାର କରିବେ।”   9  ଅବ୍ରହାମ ଏହାକୁ ବିଶ୍ୱାସ କଲେ ଓ ସେଥିପାଇଁ ସେ ଆଶୀର୍ବାଦ ଲାଭ କଲେ। ସେହିପରି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ଅବ୍ରହାମଙ୍କ ପରି ଆଶୀର୍ବାଦ ପାଆନ୍ତି।   10  କିନ୍ତୁ ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପଗ୍ରସ୍ତ। କାରଣ, ଯେପରି ବ୍ୟବସ୍ଥାମାନଙ୍କରେ ଲେଖାଅଛି: “ଯାହା ବ୍ୟବସ୍ଥାରେ ଲେଖାଅଛି ସେ ସବୁକୁ ପୂର୍ଣ୍ଣଭାବରେ ପାଳନ କରିବା ଉଚିତ୍, ନ ହେଲେ ସେ ଲୋକ ଅଭିଶାପଗ୍ରସ୍ତ ହେବ।”   11  ଏଥିରୁ ସ୍ପଷ୍ଟ ଯେ, କୌଣସି ଲୋକ ବ୍ୟବସ୍ଥା ପାଳନ ଦ୍ୱାରା ପରମେଶ୍ୱରଙ୍କଠାରେ ଧାର୍ମିକ ବୋଲି ପ୍ରମାଣିତ ହୁଏ ନାହିଁ। କାରଣ ଶାସ୍ତ୍ର କହେ: “ବିଶ୍ୱାସକୁ ଆଧାର କରି ଧାର୍ମିକ ବ୍ୟକ୍ତି ସଦାକାଳ ପାଇଁ ଜୀବିତ ରହିବ।”   12  କିନ୍ତୁ ବ୍ୟବସ୍ଥା ବିଶ୍ୱାସ ଉପରେ ଆଧାରିତ ନୁହେଁ, ପ୍ରତିବଦଳରେ ଶାସ୍ତ୍ର କୁହେ: “ଯେଉଁ ଲୋକ ବ୍ୟବସ୍ଥାର ବିଧିଗୁଡ଼ିକ ପାଳନ କରେ, ସେ ସେଗୁଡ଼ିକ ମାଧ୍ୟମରେ ବଞ୍ଚିବ।”   13  ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ୟବସ୍ଥାର ଅଭିଶାପରୁ ମୁକ୍ତକଲେ। ଶାସ୍ତ୍ର କୁହେ: “ଯେଉଁ ଲୋକର ଶରୀରକୁ ଗଛରେ ଟାଙ୍ଗି ଦିଆ ଯାଏ, ସେ ଲୋକଟି ଅଭିଶାପଗ୍ରସ୍ତ।”   14  ଖ୍ରୀଷ୍ଟ ଆମ୍ଭକୁ ମୁକ୍ତ କରିବାର ଉଦ୍ଦେଶ୍ୟ ଥିଲା, ଯେପରି ଯେଉଁ ଆଶୀର୍ବାଦସବୁ ଅବ୍ରହାମଙ୍କୁ ପ୍ରତିଜ୍ଞା କରାଯାଇଥିଲା, ତାହା ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଅଣଯିହୂଦୀମାନଙ୍କୁ ପ୍ରଦାନ କରାଯାଇପାରିବ ଏବଂ ଯେପରି ବିଶ୍ୱାସ ଦ୍ୱାରା ଆମ୍ଭେ ସମସ୍ତେ ସେହି ପ୍ରତିଜ୍ଞା ଦିଆଯାଇଥିବା ଆତ୍ମା ପାଇ ପାରିବା।   15  ଭାଇ ଓ ଭଉଣୀମାନେ! ମୁଁ ଗୋଟିଏ ଉଦାହରଣ ଦେଉଛି: ଜଣେ ଲୋକ ଅନ୍ୟ ଜଣକ ସହିତ କରିଥିବା ଚୁକ୍ତି ବିଷୟରେ ଭାବ। ସେହି ଚୁକ୍ତିଟି ଅନୁମୋଦିତ ହୋଇଗଲା ପରେ, ସେଥିରେ କୌଣସି ପରିବର୍ତ୍ତନ ହୋଇପାରେ ନାହିଁ। ତାହାକୁ ଅଟକାଇ ରଖିହୁଏ ନାହିଁ ଓ ସେଥିରେ ଯୋଡ଼ା ଯାଇପାରେ ନାହିଁ।   16  ସେ ଚୁକ୍ତିକୁ ମଧ୍ୟ ଏଡ଼ାଇ ଦେଇ ହୁଏ ନାହିଁ। ସେହିପରି ପରମେଶ୍ୱର ଅବ୍ରହାମ “ଓ ତାହାଙ୍କ ସନ୍ତାନଙ୍କୁ” ପ୍ରତିଶୃତି ଦେଇଥିଲେ। କିନ୍ତୁ “ସେ ତାହାଙ୍କର ସମସ୍ତ ବଂଶଧର” ପାଇଁ ଏହି ପ୍ରତିଜ୍ଞା ଦେଇ ନ ଥିଲେ। ତା’ର ଅର୍ଥ ଜଣେ ମାତ୍ର ବ୍ୟକ୍ତିଙ୍କୁ ପ୍ରତିଜ୍ଞା କରାଯାଇଥିଲା ଏବଂ ସେହି ବ୍ୟକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟ।   17  ମୋ’ କହିବାର ଅର୍ଥ ଯେ, ଯେଉଁ ଚୁକ୍ତିଟିକୁ ପରମେଶ୍ୱର ପୂର୍ବରୁ ଅନୁମୋଦନ କରିସାରିଥିଲେ, ତାହା ଗ୍ଭରିଶହ ତିରିଶ୍ ବର୍ଷ ପରେ ଆସିଥିବା ବ୍ୟବସ୍ଥା ଦ୍ୱାରା ମୂଲ୍ୟହୀନ ହୋଇ ଗଲା ନାହିଁ। ସେହି ବ୍ୟବସ୍ଥା ମଧ୍ୟ ସେହି ଚୁକ୍ତିର ପ୍ରଭାବକୁ ହୀନ କରି ପାରିଲା ନାହିଁ।   18  ଯଦି ଉତ୍ତରାଧିକାର “ବ୍ୟବସ୍ଥା ଆଧାରିତ” ଅଟେ, ତେବେ ତାହା ‘‘ପ୍ରତିଶୃତି ଆଧାରିତ” ହୋଇ ପାରିବ ନାହିଁ। କିନ୍ତୁ ପରମେଶ୍ୱର ଆପଣା ପ୍ରତିଶୃତି ମାଧ୍ୟମରେ ମୁକ୍ତ ଭାବରେ ଅବ୍ରହାମଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରିଥିଲେ।   19  ତା’ହେଲେ ବ୍ୟବସ୍ଥାର ପ୍ରୟୋଜନ କ’ଣ? ଲୋକମାନଙ୍କ ଭୂଲ୍ କାମଗୁଡ଼ିକୁ ଦେଖାଇବା ଲାଗି ବ୍ୟବସ୍ଥାକୁ ପ୍ରତିଜ୍ଞା ସହିତ ଯୋଗ କରାଯାଇଥିଲା। ଅବ୍ରହାମଙ୍କ ବିଶେଷ ସନ୍ତାନଙ୍କ ଆସିବା ପର୍ଯ୍ୟନ୍ତ ବ୍ୟବସ୍ଥା ଜାରି ରହିବାର ଥିଲା। ପରମେଶ୍ୱରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧରେ ଥିଲା। ବ୍ୟବସ୍ଥାଗୁଡ଼ିକ ସ୍ୱର୍ଗଦୂତମାନଙ୍କ ଜରିଆରେ ଦିଆଯାଇଥିଲା। ସ୍ୱର୍ଗଦୂତମାନେ ମୋଶାଙ୍କ ମଧ୍ୟସ୍ଥତାରେ ମନୁଷ୍ୟମାନଙ୍କୁ ଦେଲେ।   20  ଗୋଟିଏ ପଟ ଥିଲେ, ମଧ୍ୟସ୍ଥତା ଦରକାର ହୁଏ ନାହିଁ ଓ ପରମେଶ୍ୱର ହେଉଛନ୍ତି ମାତ୍ର ଜଣେ।   21  ଏହାର ଅର୍ଥ କ’ଣ ଏହା ଯେ ବ୍ୟବସ୍ଥା ପରମେଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକର ବିରୋଧୀ ଅଟେ? ଲୋକଙ୍କ ଭିତରେ ଜୀବନ ଭଳି ବ୍ୟବସ୍ଥା ଯଦି ଦିଆଯାଇ ପାରିଥା’ନ୍ତା, ତେବେ ସେହି ବ୍ୟବସ୍ଥା ଦ୍ୱାରା ପରମେଶ୍ୱରଙ୍କ ସହିତ ଆମ୍ଭେ ପ୍ରକୃତରେ ଧାର୍ମିକ ହୋଇ ପାରିଥାଆନ୍ତୁ।   22  କିନ୍ତୁ ଏହା ସତ୍ୟ ନୁହେଁ। ଶାସ୍ତ୍ର ଘୋଷଣା କରେ ଯେ, ସବୁ ଲୋକ ପାପର ଅଧୀନ ଅଟନ୍ତି। ଏଭଳି ଘୋଷଣାର ଉଦ୍ଦେଶ୍ୟ ହେଲା ଯେ, ବିଶ୍ୱାସ ମାଧ୍ୟମରେ ଲୋକମାନଙ୍କୁ ପ୍ରତିଶୃତି ଦିଆଯିବ। ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି, ସେହି ଲୋକମାନଙ୍କୁ ପ୍ରତିଶୃତି ଦିଆଯିବ।   23  ଏହି ବିଶ୍ୱାସ ପ୍ରକାଶ ହେବା ପର୍ଯ୍ୟନ୍ତ ଆମ୍ଭେ ବ୍ୟବସ୍ଥା ଦ୍ୱାରା ବନ୍ଦୀ ଓ ପରିଗ୍ଭଳିତ ହୋଇଥିଲୁ। ଆମ୍ଭର ସେତେ��େଳେ କୌଣସି ସ୍ୱାଧୀନତା ନ ଥିଲା।   24  ଅତଏବ, ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ବ୍ୟବସ୍ଥା ଆମ୍ଭର ସ୍ୱାମୀ ଥିଲା। ତା’ପରେ ଆମ୍ଭେ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ସହିତ ଧାର୍ମିକ ହେଲୁ।   25  ଏବେ ବିଶ୍ୱାସର ରାସ୍ତା ଉପସ୍ଥିତ ହୋଇଅଛି ଓ ଆମ୍ଭେ ଏଣିକି ବ୍ୟବସ୍ଥାର ଅଧୀନ ନୋହୁଁ।   26  ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭେ ସମସ୍ତେ ପରମେଶ୍ୱରଙ୍କ ସନ୍ତାନଗଣ ଅଟ।   27  ତୁମ୍ଭେ ଯେତେଲୋକ ଖ୍ରୀଷ୍ଟଙ୍କଠାରେ ବାପ୍ତିସ୍ମ ଗ୍ରହଣ କରିଛ, ତୁମ୍ଭେମାନେ ତାହାଙ୍କୁ ବସ୍ତ୍ରରୂପେ ପରିଧାନ କରିଛ।   28  ଅତଏବ ଖ୍ରୀଷ୍ଟଙ୍କଠାରେ ତୁମ୍ଭେ ସମସ୍ତେ ଏକ ହୋଇଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ୱାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତରେ କୌଣସି ଭେଦ ରହିଲା ନାହିଁ।   29  ଯଦି ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କର ଅଟ, ତେବେ ସ୍ୱଭାବତଃ ତୁମ୍ଭେ ଅବ୍ରହାମଙ୍କ ବଂଶଜ ମଧ୍ୟ ଅଟ, ଓ ପରମେଶ୍ୱର ଅବ୍ରହାମଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ, ସେହି ପ୍ରତିଶୃତିର ମଧ୍ୟ ତୁମ୍ଭେ ଉତ୍ତରାଧିକାରୀ ଅଟ।