WTC
Audio:
Drama
  • Drama
  • Non-Drama
Text Size

ଯୋହନଙ୍କ ଦ୍ୱିତୀୟ ପତ୍ର 1 - Oriya - 1997 Edition - Bible.is - ORYWTC

  1  ପ୍ରାଚୀନ ଯେ ମୁଁ, ପରମେଶ୍ୱରଙ୍କ ଦ୍ୱାରା ମନୋନୀତା ମହିଳା ଓ ତାହାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି: ମୁଁ ତୁମ୍ଭ ସମସ୍ତଙ୍କୁ ସତ୍ୟରେ ରହି ପ୍ରେମ କରେ। ସତ୍ୟକୁ ଜାଣିଥିବା ସମସ୍ତ ଲୋକମାନେ ମଧ୍ୟ ତୁମ୍ଭକୁ ପ୍ରେମ କରନ୍ତି।   2  ଆମ୍ଭ ଅନ୍ତରରେ ଯେଉଁ ସତ୍ୟ ରହିଛି, ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରେମ କରୁଛୁ। ଏହି ସତ୍ୟ ଆମ୍ଭ ପାଖରେ ସବୁଦିନ ପାଇଁ ରହିବ।   3  ପରମପିତା ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୟା, ଅନୁଗ୍ରହ ଓ ଶାନ୍ତି ଆମ୍ଭ ସହିତ ରହିବ। ଆମ୍ଭେ ସତ୍ୟ ଓ ପ୍ରେମ ଦ୍ୱାରା ତାହାଙ୍କଠାରୁ ଏହି ଆଶୀର୍ବାଦ ଲାଭ କରୁ।   4  ମୁଁ ତୁମ୍ଭର କେତେକ ସନ୍ତାନମାନଙ୍କ ବିଷୟରେ ଶୁଣି ଖୁସୀ ହେଲି। ମୁଁ ଅତିଶୟ ଆନନ୍ଦିତ ଯେ, ପିତାଙ୍କ ଆଜ୍ଞାନୁସାରେ ସେମାନେ ସତ୍ୟପଥ ଅନୁସରଣ କରୁଛନ୍ତି।   5  ପ୍ରିୟ ମହାଶୟା। ମୁଁ ତୁମ୍ଭକୁ କହୁଛି: ଆମ୍ଭେ ସମସ୍ତେ ପରସ୍ପରକୁ ପ୍ରେମ କରିବା ଉଚିତ୍। ଏହା ଏକ ନୂତନ ଆଜ୍ଞା ନୁହେଁ। ଏହା ସେହି ଆଜ୍ଞା, ଯାହା ଆମ୍ଭମାନଙ୍କ ନିକଟରେ ଆରମ୍ଭରୁ ଅଛି।   6  ପ୍ରେମର ଅର୍ଥ ହେଉଛି, ତାହାଙ୍କର ଆଜ୍ଞା ଅନୁସାରେ ଜୀବନଯାପନ କରିବା। ପରମେଶ୍ୱରଙ୍କ ଆଜ୍ଞା ଏହି: ତୁମ୍ଭେ ଏକ ପ୍ରେମର ଜୀବନ ବିତାଅ। ତୁମ୍ଭେ ଏହି ଆଜ୍ଞା ଆରମ୍ଭରୁ ଶୁଣିଛ।   7  ଏ ଜଗତରେ ବର୍ତ୍ତମାନ ଅନେକ ଭଣ୍ଡ ଶିକ୍ଷକ ବାହାରିଲେଣି। ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିଛନ୍ତି, ଏହା ସେମାନେ ଅସ୍ୱୀକାର କରନ୍ତି। ଏହି ସତ୍ୟକୁ ଅସ୍ୱୀକାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଭଣ୍ଡ ଶିକ୍ଷକ ଓ ଖ୍ରୀଷ୍ଟଙ୍କର ଶତ୍ରୁ।   8  ସାବଧାନ ରୁହ, ଯେପରି ତୁମ୍ଭ କାର୍ଯ୍ୟର ପୁରସ୍କାର ହରାଇ ନ ଦିଅ। ଯେପରି ତୁମ୍ଭେ ତୁମ୍ଭର ସମସ୍ତ ପୁରସ୍କାର ପାଇବ, ସେଥିପାଇଁ ଯତ୍ନବାନ ହୁଅ।   9  ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କର ଶିକ୍ଷାକୁ କେବଳ ଅନୁସରଣ କରିବା ଉଚିତ୍। ଯଦି କେହି ଖ୍ରୀଷ୍ଟଙ୍କ ଶିକ୍ଷାକୁ ପରିବର୍ତ୍ତନ କରେ, ତେବେ ସେହି ଲୋକ ପାଖରେ ପରମେଶ୍ୱର ନାହାନ୍ତି। ଯଦି କୌଣସି ବ୍ୟକ୍ତି ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରେ, ତେବେ ସେହି ଲୋକ ପାଖରେ ଉଭୟ ପରମପିତା ଏବଂ ପୁତ୍ର ଅଛନ୍ତି।   10  ଯଦି ତୁମ୍ଭ ପାଖକୁ କେହି ଆସେ କିନ୍ତୁ ଏହି ଶିକ୍ଷା ନ ଦିଏ, ତେବେ ତାହାକୁ ଗୃହରେ ସ୍ୱାଗତ ଓ ଗ୍ରହଣ କର ନାହିଁ।   11  ତୁମ୍ଭେ ତାହାକୁ ଯଦି ଗ୍ରହଣ କର, ତେବେ ତାହାକୁ ମନ୍ଦକର୍ମ କରିବାରେ ସାହାଯ୍ୟ କରୁଛ।   12  ମୋର ତୁମ୍ଭକୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ମୁଁ କାଗଜ ଏବଂ କଲମରେ ତାହା ଲେଖୁ ନାହିଁ। ତାହା ବଦଳରେ ମୁଁ ତୁମ୍ଭକୁ ସାକ୍ଷାତ କରିବାକୁ ଆଶା କରୁଛି, ତେବେ ଆମ୍ଭେ ମୁହାଁମୁହିଁ ହୋଇ କଥାବାର୍ତ୍ତା ହୋଇପାରିବା। ତାହା ଆମ୍ଭକୁ ଅତିଶୟ ଆନନ୍ଦିତ କରିବ।   13  ପରମେଶ୍ୱରଙ୍କ ଦ୍ୱାରା ମନୋନୀତା ତୁମ୍ଭମାନଙ୍କର ଭଉଣୀଙ୍କ ସନ୍ତାନମାନେ ତୁମ୍ଭମାନଙ୍କୁ ସେମାନଙ୍କର ନମସ୍କାର ଜଣାଇଛନ୍ତି।